Unknown

 

 

 

 

 

 

 

 

 

ଅନ୍ୟାନ୍ୟ କବିତା

କୁନ୍ତଳା କୁମାରୀ ସାବତ

 

କବିତା (୧)

 

ବାଳ ଛିନ୍ନ ବୀଣା ବାଜଣା ସୁଜିଣା

ରମ୍ୟ ଏ ନନ୍ଦନବନେ

ମାଲୁଣୀ ପରାୟେ ପଣ୍ଡିତା ନାରୀୟେ

ଯହିଁ ବସି ରମ୍ୟ ଭୂମେ ।

 

ଗୋଟି ଗୋଟି ସତେ ପାରିଜାତ କେତେ

ପାଳନ୍ତି ଯତନ କରି

ପୋତି ଜ୍ଞାନମଞ୍ଜି ଆଳବାଳ ରଚି

ବୁଦ୍ଧିରେ ବିବେକ ଭରି ।

 

ରାଜଜେମା ସମ ପାରିଜାତ ସ୍ୱର୍ଣ୍ଣ

ସ୍ୱର୍ଗ ସମ୍ପଦରୁ ବଳେ

କ୍ଷୁଦ୍ର ଦୀନା ମୁହିଁ ସେ ପରଶ ପାଇ

ଧନ୍ୟ ଆନନ୍ଦ ବିହ୍ୱଳେ ।

 

ବନ୍ଦନୀୟା ମମ ଆହେ ଦେବୀଗଣ

ଭକ୍ତିଭରେ ନତ ଶିରେ

ସ୍ୱଦେଶୀ ଏ ପୂତ ଭାରତୀ ସେବିତ

ଘେନ ପୁଷ୍ପ ଉପହାରେ ।

 

ତୁମ୍ଭରି କୃପାରେ ଲଳିତ ମଧୁରେ

ଲଭିଲି ଭାଷାସମ୍ପଦ

ଜନନୀ ଉତ୍‌କଳ ମହତ କୋମଳ

ଚିହ୍ନିଲି ତା ପଦ୍ମ ପଦ ।

 

ଶ୍ରୀ ପୟରେ ଦୀନା ବର ମାଗେ କନ୍ୟା

ସଫଳ ହେଉ ଜୀବନ

ମାତୃଭାଷା ପୁଷ୍ପ ତୋଳିଣ ସହର୍ଷ

ହେବି ବରେଣ୍ୟ ମହାନ ।

 

ହେ ଭଗିନିକୁଳ କନକ କୋମଳ

ସମ ତୁମେ ଲୋଭନୀୟା

ଏ ଦୀନା ସଖୀରେ ବିଦ୍ୟା ପ୍ରତିଭାରେ

କରିଥିବ ଚିର ଦାୟା ।

 

ତୁମ ସବୁ ସ୍ମୃତି ଅନ୍ତରେ ସାଇତି

ବିଦାୟ ନେଉଛି ଆଜି

ଉତ୍‌କଳ ଜନନୀ ଯଶୋଗୀତେ ଶାଣି

ଏ ଜୀବନ ହେଉ ମାଜି ।

Image

 

କବିତା (୨)

 

କୋଟିକୀର୍ତ୍ତିମୁକ୍ତା-ମାଳିନୀ

କାନ୍ତି-କମଳା କଳାକୁଶଳା ଶାନ୍ତି ଶାଳିନୀ ।

(୧)

କୋଟି ସୁତ ସ୍ନେହଶୀଳା

କୋଟି ତୀର୍ଥ ସ୍ୱର୍ଗଲୀଳା

ରତ୍ନହାରା ଚିତ୍ରୋତ୍ପଳା

ସିନ୍ଧୁଧୌତ ପୁଣ୍ୟବେଳା

ନୀଳାଚଳ-ଚିଲିକା-ପ୍ଲାବିନୀ-

ଶକ୍ତି, ମୁକ୍ତି, ଭକ୍ତିଦାନେ ଭକ୍ତପାଳିନୀ

(୨)

ତାଳ ତମାଳ ତାଳୀନୀଳା

ଶତତଟିନୀ ପୂତ ସଲିଳା

କାବ୍ୟକୁଞ୍ଜ କଳକୋକିଳା

ପୂଜିତ ପାଦ ଭଞ୍ଜ ସାରଳା

ଶୁଭଗୀତ ସୁଧା ସ୍ୟନ୍ଦିନୀ

ବିଶ୍ୱବନ୍ଦନ ଚିତ୍ତନନ୍ଦନ ନୟନହ୍ଲାଦିନୀ ।

(୩)

ବିଶାଳ ଶୈଳ ବିପିନମାଳୀ

କେଦାରକାନ୍ତ ପକ୍ୱଶାଳୀ

କାନନ ଫୁଲ ପ୍ରସୂନାଞ୍ଜଳୀ

ପୂର୍ଣ୍ଣ ପକ୍ଷୀ କଳକାକଳୀ

ରତ୍ନଜ୍ୟୋତି ଉଜ୍ଜଳାନନୀ

ଚୁଆଚନ୍ଦନ କର୍ପୂର ମୃଗମଦ ମୋହିନୀ ।

(୪)

ଅନଙ୍ଗ ଯଯାତି ଐର ଜନନୀ

ବୀର-ରୂଧିର-ସିକ୍ତ ଅବନୀ

ବିଦ୍ୟା ଧର୍ମ ମୋକ୍ଷ ମେଦିନୀ

ଶୂଦ୍ର ବ୍ରାହ୍ମଣେ ସାମ୍ୟବାଦିନୀ

ଜାତିଭେଦ ବନ୍ଧ ଭଞ୍ଜିନୀ

ନିଖିଳ ଭାରତ ଭକତ

ଚରଣ ରେଣୁରଞ୍ଜନୀ ।

 

(୫)

ଜୟ ଜୟ ବୀର ବରେଣ୍ୟ

ଜୟ ଭକତ ଚିତ୍ତ ଶରଣ୍ୟେ

ଜୟ ଧନ୍ୟେ ! ଜୟ ପୁଣ୍ୟ !

କୋଟି ସନ୍ତାନ ଅନ୍ନପୂର୍ଣ୍ଣେ ।

ସର୍ବଶୁଭ ଶାନ୍ତିଦାୟିନୀ

ଚିତ୍ତ କାମନା କଳିତ ଲଳିତ

ଚରଣ ନଳିନୀ ।

Image

 

କବିତା (୩)

 

The Neglected Land

Oh, land of famine, fire, flood,

 

 

Thou home of pain and misery.

In all our veins flows warm thy blood,

 

 

We sign and shed our tears for thee.

Weep no more, Oh ! weep no more,

 

 

children from thy lap long torn,

They gather at thy holy feet

 

 

Ever washed with billows blue.

They join their hands in union sweet

 

 

With life energetic and new.

The days of woe will not be long,

 

 

Soon poverty and pain shall cease,

The smiling face of singing throng

 

 

Will fill thy heart with joy and peace.

Why then fall thy tears in shame.

 

 

Sinks thy heart in despair deep,

In the desert field of fame,

 

 

Do thy sons lie still in sleep?

Dost thou weep for days bygone,

 

 

Rends thy heart in smarting pain

When bright as the Sun it shone,

 

 

And past the' main was thy domain ?

Thy sons were heroes, men were brave,

 

 

Life they worked in stone and tree,

In temple, tower, bower, cave,

 

 

Wreathed garlands of poetry.

Still in Ekamra's lonely dale,

 

 

Beneath the sacred mango tree,

Sweet they sing in southern gale

 

 

Thy poet's spirits full and free.

Dear Utkal, our dearest land,

 

 

Made in beauty, decked in dream

Stories breathe thy sea and sand

 

 

of Upendra and Anangabhima.

The wind resounds the cocky caves,

 

 

The birds they cheer the mountain vale,

And kiss thy shores, the foaming waves,

 

 

With songs of praise of Great Kharabela.

On flower-lips with drops of dew

 

 

Falls so sweetly onthe green,

A heavenly carol ever new

 

 

of Purusottam and Padma Queen,

Now all a story, a lovely myth,

 

 

The faded golden day's last ray;

But in the deep dark clouds beneath

 

 

peeps the gleam of glorious day.

The fragrant hearts of flowers open,

 

 

The feathered flock, a hymn they chant,

“The night is gone, the night is gone

 

 

The night of woe, the night of want”

Awake, Oh glorious Utkal ! now,

 

 

Thy severed limbs are joined at last,

Thy sons are joined in heart so true,

 

 

on Future will they build thy Past.

We love thy every leaf and flower,

 

 

We love thy breeze, thy stormy gust,

The desert is our oasis bower,

 

 

We crave thy humble divine dust,

Cheer, Oh cheer, our mother dear !

 

 

Shower on us thy blessing love,

Bring thy children ever near,

 

 

Let us men and women prove.

In the battle field of life,

 

 

Let us firmly take our stand,

Lift our heads in stormy strife,

 

 

With faith in God and Mother-land.

Image

 

ଅବହେଳିତ ଦେଶ

(ଓଡ଼ିଆ ଅନୁବାଦ)

 

ହେ ଦୁର୍ଭିକ୍ଷ, ଅଗ୍ନି, ବନ୍ୟାପ୍ଳାବିତ ଦେଶ

ଦୁଃଖ ଏବଂ ଯନ୍ତ୍ରଣାର ନିବାସ

ଆମରି ପ୍ରତି ଶିରାପ୍ରଶିରାରେ ତୁମରି ଉଷ୍ଣରକ୍ତ ପ୍ରବାହିତ

ଆମେ ତୁମଲାଗି ଦୀର୍ଘନିଃଶ୍ୱାସ ଓ ଅଶ୍ରୁତ୍ୟାଗ କରୁଅଛୁ ।

ଆଉ କାନ୍ଦନାହିଁ, ଆଉ କାନ୍ଦନାହିଁ

ତୁମର ଆଗତ ସୁଖପ୍ରଭାତକୁ ସମ୍ଭାଷଣ ଜଣାଅ

ନିଜର ଦ୍ୱାରଦେଶରେ ତାକୁ ସପ୍ରେମ ସ୍ୱାଗତ ଜଣାଅ

ତୁମ କୋଳର ସନ୍ତାନ ଚିରଦିନର ଦୁଃଖରେ ଅଛନ୍ତି ।

ସେମାନେ ତୁମର ପବିତ୍ର ପଦତଳେ ଏକତ୍ରିତ

ଯାହା ସର୍ବଦା ନୀଳତରଙ୍ଗମାଳାଦ୍ୱାରା ଧୌତ;

ଏ ମଧୁର ଏକତ୍ରୀକରଣରେ ସେମାନେ ହାତ ଧରାଧରି ହୋଇଛନ୍ତି,

(ଏବଂ) ଜୀବନ ସେମାନଙ୍କୁ ନୂତନ ଓ ଶକ୍ତିଦାୟକ ହୋଇଛି ।

ତୁମର ଦୁଃଖର ଦିନ ଆଉ ବେଶି ଦିନ ରହିବ ନାହିଁ

ଶୀଘ୍ର ଦାରିଦ୍ର୍ୟ ଓ ଯନ୍ତ୍ରଣାର ଅବସାନ ହେବ

ଜନତାର ହାସ୍ୟମୁଖରେ କୋଳାହଳମୟ ସୁଖ

ତୁମ ହୃଦୟରେ ଆନନ୍ଦ ଓ ଶାନ୍ତିଭରି ଦେବ ।

ତେବେ କାହିଁକି ତୁମ ଲୋତକ ଲଜ୍ଜାରେ ଝରୁଛି ?

ତୁମର ହୃଦୟ ଗଭୀର ନିରାଶାରେ ଦବିଯାଉଛି ?

ତୁମର ପରିତ୍ୟକ୍ତ ପ୍ରଶଂସନୀୟ କ୍ଷେତ୍ରରେ

କଣ ତୁମର ସନ୍ତାନମାନେ ତଥାପି ନିଦ୍ରାମଗ୍ନ?

ତୁମେ କ’ଣ ଅତୀତ କଥା ଭାବି କାନ୍ଦୁଛ ?

(ଏବଂ) ସେ କଥା ତୁମ ହୃଦୟକୁ ତୀବ୍ର ଜ୍ୱଳାମୟ ବେଦନାରେ ବିଦୀର୍ଣ୍ଣ କରୁଛି ?

ଯେତେବେଳେ ସୂର୍ଯ୍ୟସମ ଦୀପ୍ତ ହୋଇ ତୁମେ ଶୋଭନୀୟ ଥିଲ,

ଏବଂ ତା’ପରେ ତୁମର ଶକ୍ତିଶାଳୀ ରାଜ୍ୟ ଥିଲା

ତୁମର ପୁତ୍ରମାନେ ଶୂର ଥିଲେ, ଜନସାଧାରଣ ବୀର ଥିଲେ,

ସେମାନେ ପର୍ବତ ତାଡ଼ି, ଗଛ କାଟି, ଜୀବନ ଗଠନ କଲେ,

ମନ୍ଦିର, ସ୍ତମ୍ଭ, ଖିଲାଣ, ଗୁମ୍ଫା ଘେନି କବିତାର ମାଳାଗୁନ୍ଥିରେ ।

ତଥାପି ଏକାମ୍ରର ଏକାନ୍ତ ଉଚ୍ଚଭୂମିରେ ପବିତ୍ର ଆମ୍ରବୃକ୍ଷ ତଳେ

ଦକ୍ଷିଣାଗତ ମଳୟ ସ୍ପର୍ଶରେ ସେମାନେ ସୁନ୍ଦର ଗାଆନ୍ତି

ତୁମର କବିମାନେ ଓ ତାଙ୍କର ଆତ୍ମା ପୂର୍ଣ୍ଣ ଏବଂ ମୁକ୍ତ,

ଆଦରର ଉତ୍କଳ, ଆମର ପ୍ରିୟ ସେ ଉତ୍କଳ,

ସୌନ୍ଦର୍ଯ୍ୟରେ ଗଠିତ, ସ୍ୱପ୍ନଶ୍ରୀ ମଣ୍ଡିତ ।

ତୁମର ସମୁଦ୍ର ଓ ସୈକତ ଉପେନ୍ଦ୍ର ଓ ଅନଙ୍ଗଭୀମଙ୍କର କଥା

ନିଃଶ୍ୱାସରେ ଗ୍ରହଣ କରନ୍ତି,

ପବନ ତୁମର ପ୍ରସ୍ତରମୟ ଗୁମ୍ଫାକୁ ନିନାଦିତ କରେ, ପକ୍ଷିଗଣ

ପର୍ବତ ଉପତ୍ୟକାରେ ଥାଇ ଆନନ୍ଦିତ ହୁଅନ୍ତି,

ଏବଂ ତୁମର ପବିତ୍ର ତଟଦେଶକୁ ଫେନୋଦ୍‌ଗାରୀ ତରଙ୍ଗମାଳା ଚୁମ୍ୱନ ଦିଏ,

ମହାନ ଖାରବେଳଙ୍କ ପ୍ରଶଂସାର ସଂଗୀତ ଗାଇ ।

ପୁଷ୍ପାଧରରେ ନିହାର ବିନ୍ଦୁମାଳାରେ ସବୁଜିମା ଉପରେ ପତିତ ହୁଏ

ଏକ ସ୍ୱର୍ଗୀୟ ମଧୁର ସଙ୍ଗୀତ, ପୁରୁଷୋତ୍ତମ ଓ ରାଣୀ ପଦ୍ମାଙ୍କ ବିଷୟରେ

ବର୍ତ୍ତମାନ ସବୁ କେବଳ କାହାଣୀ, ଗୋଟିଏ ମଧୁର କିମ୍ୱଦନ୍ତୀ

ମଉଳି ଯାଇଥିବା ସୁବର୍ଣ୍ଣ ଦିନର ଶେଷ ରଶ୍ମି ।

କିନ୍ତୁ ଘନ କଳାବାଦଲର ଅନ୍ତରାଳରେ ଉଜ୍ୱଳ ଅତୀତର ପ୍ରଭା ଉଙ୍କି ମାରୁଛି ।

ପୁଷ୍ପରାଜିର ସୁବାସିତ ଅନ୍ତର ଉନ୍ମୁକ୍ତ କରନ୍ତି ବିହଙ୍ଗମକୁଳ।

ସେମାନେ ଗାଆନ୍ତି ସ୍ତବଗୀତି-

‘‘ରାତ୍ରି ଅତିବାହିତ ହୋଇଯାଇଛି, ରାତ୍ରି ଅତିବାହିତ ହୋଇଯାଇଛି,

ଦୁଃଖର ରାତ୍ରି, ଅଭାବ ଅନଟନର ରଜନୀ ।’’

ହେ ଯଶ୍ୱସ୍ୱିନି ! ଉତ୍କଳ ଜନନୀ ! ଜାଗ୍ରତ ହୁଅ ବର୍ତ୍ତମାନ

ତୁମର ଛିନ୍ନ ଅଙ୍ଗପ୍ରତ୍ୟଙ୍ଗ ଶେଷରେ ପୁଣି ଯୋଖି ହୋଇଯାଇଛି ।

ତୁମ ହୃଦୟ ସହିତ ତୁମ ପୁତ୍ରଗଣ ମିଶିଯାଇ ଅଛନ୍ତି,

ଭବିଷ୍ୟତରେ ସେମାନେ ତୁମର ଅତୀତକୁ ପୁଣି ରଚନା କରିବେ ।

ଆମେ ସ୍ନେହ କରୁ ତୁମର ପ୍ରତ୍ୟେକ ପୁଷ୍ପ, ପ୍ରତ୍ୟେକ (ପୁଷ୍ପ) ଦଳକୁ

ତୁମର ସୁଶୀତଳ ମନ୍ଦାନିକକୁ, ତୁମର ବାତ୍ୟାକୁଳ ପ୍ରବଳ ଝଞ୍ଜା ବତାସକୁ ।

ତୁମର ମରୁଦ୍ୱୀପ ହେଉଛି ଆମର ମରୁଦ୍ୱୀପ ନିକୁଞ୍ଜ

ଆମେ ତୁମର ପବିତ୍ର ସ୍ୱର୍ଗୀୟ ଧୂଳିକଣା ଭିକ୍ଷା କରୁଛୁ ।

ଆନନ୍ଦକର, ଆନନ୍ଦକର, ପ୍ରିୟମାତା ଆମର,

ତବ ପ୍ରେମାଶିଷ ଆମ ଉପରେ ବର୍ଷଣ କର,

ତୁମର ସନ୍ତାନମାନଙ୍କୁ ସର୍ବଦା ନିଜର ନିକଟସ୍ଥ କର ।

ଚାଲ ସ୍ତ୍ରୀ ଓ ପୁରୁଷ ପ୍ରମାଣ କରିବା,

ଜୀବନର ଯୁଦ୍ଧ ଓ କ୍ଷେତ୍ରରେ

ଚାଲ ନିଜର ସ୍ଥିତି ଦୃଢ଼ କରିନେବା,

ପ୍ରବଳ ସଂଗ୍ରାମରେ ନିଜର ମୁଣ୍ଡ ଟେକି ଠିଆହେବା-

ଭଗବାନ ଓ ଜନ୍ମଭୂମିଠାରେ ବିଶ୍ୱାସ ରଖି ।

(ଚକ୍ରଧର ମହାପାତ୍ର ଅନୁବାଦ)

Image

 

କବିତା (୪)

 

ସକାଳରୁ ସଞ୍ଜେ ତୁମରି ଲାଗି ମୁଁ ଅନାଇଁ ବସିଛି ପଥେ,

ଛାତି ଥରଥରେ ଆଖି ଝରଝରେ ଆସିଲ ଆସିଲ ସତେ !

ସାରା ପରାଣଟା ତୃଷ୍ଣାରେ ପୂରି

ସାରା ମରମଟା ହେଉଛି ଝୁରି

ଶିରାରେ ଶିରାରେ ଚମକେ ବିଜୁଳି ଛକିଲ ଛକିଲ ପରା ।

ଝିମିଝିମି ଦେହ ଗୋଟାକ ମୋହରି ଅବିଶ୍ୱାସ ଘେରେ ତ୍ୱରା ।

ତୁଚ୍ଛାକୁ ତୁଚ୍ଛାକୁ କାନ୍ଦିବସେ ମାନେ ଜୀବନ ରହିବ ସତେ

ଏତେ ଦୁଃଖ ଯଦି ଦେବ ଭାଳିଥିଲ ବେଳୁ ନ କହିଲ ମୋତେ ?

Image

 

କବିତା (୫)

 

ଜୀବନର ସଂଜ ଅନ୍ଧାରେ ଆସି ହେ ଦେଖାଦେଲ ଯେବେ ବାରେ

ତିନ୍ତାଇଲ ତୀବ୍ର ଦାରୁଣ ପ୍ରହାରେ ଗଣ୍ଡଯୁକ୍ତ ଅଶ୍ରୁଧାରେ ।

ସାରାଦିନ ଖରା ଖାଇଲି ତୁମରି କାରଣେ ଜଗି ମୁଁ ବାଟ

ଦାରୁଣ ହୃଦୟେ ଦୟା ନୋହିଲା କି ମାରୁଛ କୋରଡ଼ା ଛାଟ ।

ତେବେ କିନ୍ତୁ ସଖା ନ ଯିବ ବାହୁଡ଼ି ଜାଣିଛି ମୁଁ ତୁମ ଛଳନା

ଉପର କଠୋର ବେଭାରେ ଭିତର ପ୍ରୀତିଟି କରିଛ ଛଳନା ।

କଟୁ ବଚନର ଅନ୍ତରାଳେ ଲୁଚି ରହି ନ ପାରୁଚି ହସଟି

ମନର ପରଖ ମନ ସିନା ସଖା ସୁନାର ପରଖ କଷଟି ।

Image

 

କବିତା (୬)

 

।। ୧ ।।

କି ଭାବନା ଜାଗେ ପ୍ରାଣେ କବି ଦରଶନେ

ପୁର୍ଣ୍ଣେନ୍ଦୁ ଅର୍ଣ୍ଣବ ହେରି ଅର୍ଣ୍ଣୋଦ ଆସନେ

ବିସ୍ତାରି ବିଶାଳ ବାହୁ ଉର୍ମିଲୀଳାଛଳେ

ବ୍ୟାକୁଳେ ଆକୁଳ ପ୍ରାଣ ଆନନ୍ଦେ ଉଚ୍ଛଳେ ।

ପୁଟି ଆସେ ଧୀର ଯଥା ନବ ଅରବିନ୍ଦ

ମନ୍ଦ ମଳୟ ମାରୁତ ଚୁମ୍ୱନେ ମୋହନ

ଧାଇଁ ଆସେ ଫୁଲ୍ଲ ମଲ୍ଲିମାଳେ କି ମିଳିନ୍ଦ

ବହଟିଯାଏ କି କାନ୍ତ କେତକୀ କାନନ ।

ଉଷା ଅରୁଣିମା ତଳେ ଝଳେ ନବ ରବି

ଅନାଇଁ ଉଲ୍ଲାସେ ହସେ ସୁମନ ସୁନ୍ଦରୀ

ଶ୍ୟାମଳ କୋମଳ ଦଳେ ହିମ ବିନ୍ଦୁ ଛବି

ଝଲକେ ଆଲୋକେ ବର୍ଣ୍ଣେ ଇନ୍ଦଧନୁ ସରି ।

ନନ୍ଦିତ ନିଷ୍ପନ୍ଦ ହିଆ ବନ୍ଦି କବି ପଦେ

ଲଭିଲି ଅକ୍ଷୟ ମହା ଗୌରବ ସମ୍ପଦେ ।

 

।। ୨ ।।

ତାଳ ନାରିକେଳ ମାଳ ସରସ ଶ୍ୟାମଳ

ବିରୂପା ଲହରୀ ଲୀଳା ଲୋଳିତ ଅଞ୍ଚଳ

ବନ ବିହଙ୍ଗ କଳିତ ଲଳିତ କାକଳି

ପଲ୍ଲବ-ପାଟଳପଲ୍ଲୀ କୁଶପୁର ଝଳି ।

ତହିଁ ତବ ନିକେତନେ ହେ କବି ବଳେନ୍ଦ୍ର

ପଡ଼ିଲା ମୋ ପଦଯୁଗ କି ଯୋଗେ ମାହେନ୍ଦ୍ର ।

କି ଛଳେ ବିଧାତା ଛନ୍ଦି ଆଣିଲା ସେ ଟାଣି

କବି ଯେଣୁ କବି ପ୍ରିୟ ବର-ବୀଣାପାଣି ।

ପର୍ଣ୍ଣ ମୋ ଚନ୍ଦନବନ ଦର୍ଶନ ବାସନା

ନନ୍ଦନ ମନ୍ଦାର କୁଞ୍ଜେ ଶୁଭ ଅଭ୍ୟର୍ଥନା ।

ଲୋଟେ ଯହିଁ ନିର୍ଝରଣୀ ସ୍ୱର୍ଣ୍ଣଶୀଳାତଳେ

ବସନ୍ତକୋକିଳ ଗାଏ ରସାଳ ଗହଳେ ।

ନେତ୍ରମୋହୀ ପଲ୍ଲିଚିତ୍ର ପବିତ୍ର ଗରିମା

ଉତ୍କଳ ପ୍ରାଣର ଜନ୍ମଭୂମି ଶ୍ରୀ ମହିମା

ତହିଁ ଅଭିନବ ଶୋଭା ମଣି କାଞ୍ଚନର

ନାନାବାୟା ଶିଶୁଗୀତେ ଉଚ୍ଛୁଳେ ଅନ୍ତର ।

ଯହିଁ ପୁଷ୍କରିଣୀ ତୀରେ ଜଳକୁମ୍ଭ କରେ

ପୁଷ୍ପିତା କନକଲତା ମୃଦୁପାଦଭରେ

ଓଢ଼ଣାର ଆଢ଼ୁଆଳେ ଶର୍ମ୍ମିଷ୍ଠା ସୁନ୍ଦରୀ

ଶୋଭେ ନବ ନୀରଦରେ ସୌଦାମିନୀ ସରି ।

ତହିଁ ଏକାଦଶଦିନ ତବ ଶାନ୍ତିବାସେ

ପରମ ଆଦର ସ୍ନେହେ ଯାପିରି ଉନ୍ମସେ

ଶୁଣି କଜ୍ଜ୍ୱଳପତ୍ରିର ପ୍ରଭାତ ସଙ୍ଗୀତ

ହେରି ସନ୍ଧ୍ୟାତାରା ଶିରୀ ବିମାନେ ବିମ୍ୱିତ ।

ହେ କବି, ହେ କବି-ବଳ, ନନ୍ଦନ ବରେଣ୍ୟ

ଧନ୍ୟ ମୋ ଜୀବନ ତବ ନିୟନ୍ତ୍ରଣେ ଧନ୍ୟ ।

Image

 

କବିତା (୭)

 

ଯେବେ କରୁଥିବ ମନା ମୁଁ ଆସିବି

ତୁମରି ଦୁଆର କତିକି

ତୁମ ଗାଳିମାଡ଼ ସହିବା କାରଣେ

ଦୃଢ଼ କରିଥିବି ଛାତିକି ।

ଫୁଲ ଚାନ୍ଦ ବେନି ହସନ୍ତି କାନ୍ଦନ୍ତି

ଫୁଲ ଚାନ୍ଦ ସରି ହୋଇବି

ତୁମ ଗଞ୍ଜଣାକୁ ତୁମ ଲାଞ୍ଛନାକୁ

ପିଠି ପତାଇଣ ସହିବି ।

ମୃତ୍ୟୁ ରୂପେ ଯଦି ଆସିବ କତିକି

ସୁଖେ ମୁଁ ଘେନିବି କୋଳରେ

ଆଦରେ ମରଣ ବରଣ କରି ଗୋ

ମରିବି ଚରଣ ତଳରେ ।

Image

 

କବିତା (୮)

 

ଯେତେ ପଳାଇବ ଯିବି ଗୋଡାଇ

ନିରମଳ ପ୍ରୀତି ଦେବି ଚଢ଼ାଇ

ପାଦେ ଲୋଟିଥାଇ କରିବି ଗୁହାରି

ତାର ନାଥ ମୋତେ ତାର

ମୋର ବହିଯାଉ ଅଶ୍ରୁଧାର

ଅଭିମାନେ ଜଡ଼ି ପଡ଼ିଥିବି ପାଦେ

ଅଛି ସ୍ନେହ ଅଧିକାର ।

ନିତି ବହି ଦୁଃଖ ଭାର

ଭାଙ୍ଗ ମଝିପିଠି ହାଡ଼

ନିତି ମୋ ଖଟଣି ସାର

ନିତି ଲୋତକ ରୋଚାନେ ।

ମୁଁ ଦୀନ ବାଟୋଇ ଜଣେ

ଭ୍ରମେ ପଶିଲି ଏ ବଣେ

କାହିଁ ଯିବି କି କରିବି ନଦିଶେ ରାହା ।

Image

 

କବିତା (୯)

 

‘‘ମୁଁ ତ ଚାହେଁ ହେବି ନୀରଦ ସମାନ

ବରଷି କରୁଣା ଆସାରେ,

ମୁଁ ତ ଚାହେଁ ତୃଣ ପରାୟେ ବିରାଜି

ଅକିଞ୍ଚନ ହେବି ସଂସାରେ ।’’

Image

 

କବିତା (୧୦)

 

ଓଡ଼ିଆ ଏଥର ମଣିଷ ହୁଅ

ସହିଲୁଣି ବହୁ କଷଣ ବିପତ୍ତି

ନିଜ ଗୋଡ଼େ ଏବେ ଛିଡ଼ାହୁଅ,

ଜାତିର କଳଙ୍କ ନିଜ ଗୁଣ ଜଳେ

ଯତନରେ ବାବୁ ମାଜି ଧୁଅ ।

ହୀନ ନୁହଁ ତୁମେ ହୀନ ନୁହଁ

ତେତିଶ କୋଟିରେ ଏକ କୋଟି ବୋଲି

ଆଉ ନ ଗଡ଼ାଅ ନିରାଶା ଲୁହ,

ଅଳସୁଆ ବୋଲି ଅନ୍ଧାର କୁଡ଼ିଆ କୋଣକୁ

ଆବୋରି ଆଉ ନ ଶୁଅ ।

ମନୋବଳେ ସିନା ମଣିଷ ପଣିଆ

ମନେ ଆଣ୍ଟ ବାନ୍ଧି ଦମ୍ଭେ ହୁଅ ଠିଆ

ଗରବରେ କହ ମୁଁ ଟାଣ ଓଡ଼ିଆ

ମହାନଦୀର ମୁଁ ପ୍ରବଳ ସୁଅ ।

କୋଣାରକ ଶିଳା ନୀଳାଚଳ ଲୀଳା

ପଥର ଦେହରେ କୀରତି ଥୁଅ ।

କାହାକୁ ଭୟରେ କାହାକୁ ଭୟ

ମନୋବଳକୁ କେ କରିବ ଜୟ

ଦାନାକନା ସବୁ ଆସିବ ଅଜାଡ଼ି

ଆତ୍ମବଳେ ଯଦି ରଖିବ ଲୟ ।

ଜଗତଯାକଟା ଜଗନ୍ନାଥଙ୍କର

ନୁହ ତାଙ୍କ ରାଜ୍ୟେ ଚୋର ତସକର

କୋଳର ସନ୍ତାନ ସେ ଦେବେ ମୁକର

ଯାହା ଲୋଡ଼ା ଭୟେ କାତର ନ ହୁଅ ।

ଅଛି ସତ ଚାରିଆଡ଼େ ଶତଶତ

ପ୍ରବଳ ଆଘାତ ବନ୍ୟା ବିତ୍‌ପାତ

ମଣିଷ ଦଇବ ବଇରୀ ସଭିଏଁ

ପଦେ ପଦେ ବାବୁ ନିତି ମର୍ମାହତ ।

ତଥାପି ମଣିଏ ମଣିଷ ହୁଅରେ

ମଣିଷ ହେବୁଁ ହେ କହ ଏକ ସ୍ୱରେ ।

ମଣିଷ, ମଣିଷ, ମଣିଷ ଆସନ

ଭଗବାନ ସଙ୍ଗେ ଆଜି ସରିସମ ।

ମଣିଷ, ଆମର କି ଲାଜ କି ଭୟ

ଜୟ କପାଳରେ ଅଛି ସୁନିଶ୍ଚୟ ।

ମଣିଷ ଆମେରେ କୋଟିଏ ଓଡ଼ିଆ

ନୋହୁ ଜଗତର ଜଞ୍ଜାଳ ଅଳିଆ ।

ଅଛିରେ ଅଛିରେ ତେଜ ଆମ ମନେ

ଦୁଃଖ ନାହିଁ ଆଉ ନିଷ୍ଠୁର ପତନେ

ଉଠିବୁ ଏଥର ଉଠିବୁ ମୁକର

କହ କହ ଆଜି ହୋଇ ସମସ୍ୱର ।

ଗାଅ ଘରେ ଘରେ ସ୍ୱାଧିନତା ଗୀତ

ସ୍ୱାବଲମ୍ୱନରେ ମଜ୍ଜିଯାଉ ଚିତ୍ତ

ଗତିରୋଧ ତବ କରିବ ଏପରି

ନାହିଁ ରବିତଳେ ଶକତି କେଶରୀ ।

ଉଠରେ ଓଡ଼ିଆ ହୁଅରେ ମଣିଷ

ମଣିଷ ମୁଣ୍ଡରେ ବିଧିର ଆଶିଷ

ମଣିଷ ହିସାବେ ପୂଜା ପାଅ ଭବେ

ନାଚିଉଠୁ ରକ୍ତ ମଣିଷ ଗରବେ ।

ଆସିବରେ ଫେରି ଯା’ ଯାଇଛି ତବ

ଅଧିକୁଁ ଅଧିକ ବଢ଼ିବ ବିଭବ

ଓଡିଆ ଏଥର ମଣିଷ ହୁଅରେ

ଓଡ଼ିଆ ନାମରେ କାଳିମା ଧୁଅରେ ।

Image

 

କବିତା (୧୧)

 

ସତେ ଏ ଭାରତ ସେହି ପୁଣ୍ୟ ଆର୍ଯ୍ୟଋଷି ଭୂମି

ସଭ୍ୟତାର ଆଦ୍ୟଲୀଳା ସ୍ଥାନ

ସତେ ଏ ଭାରତ ସେହି ନିନାଦିଲା ଯା’ ଅମ୍ୱର

ପ୍ରାତଃ ସନ୍ଧ୍ୟା ଦେବଗୀତି ଅମୃତ ସୁତାନ,

ଯା’ର ଗଙ୍ଗା-ସିନ୍ଧୁତୀରେ ଉଚ୍ଛଳିତ ମନ୍ତ୍ରଗୀରେ

କଲ୍ଲୋଳିତ ଜଳେ ବାଜେ ବୀଣାର ପଞ୍ଚମ

ପବିତ୍ର ସମିଧ କୁଣ୍ଡେ ଅନଳ ହିଲ୍ଲୋଳୋତ୍‌ଥିତ

ଗନ୍ଧେ ଅଭିନନ୍ଦିତ କି ପାବନ ପବନ ।

କଳାନ୍ତକ ମହାଯଜ୍ଞେ ଜୀବନ ଆହୁତି ଦାନେ

କେ ସେ ବୀର ଆସ ଅଗ୍ରେ ଆସ ହେ ମହାନ

ଲଳାଟରେ ଯଶୋଟିକା ଜୈତ୍ରମଣି ଦୀପ୍ତିଶିଖା

ଅମଳୋଜ୍ଜ୍ୱଳ ବିରାଜୁ ଚିର ଜ୍ୟୋତିଷ୍ମାନ ।

Image

 

କବିତା (୧୨)

 

ପଥମଝିରେ କୃଷ୍ଣ ଦେଖା ଆଉ ନ ଯିବି ବୃନ୍ଦାବନେ

ଏବେ ମନମୋହନ ଶ୍ୟାମଘନ ରାଜେ ହୃଦ-ପଦ୍ମାସନେ ।

ପଥଧୂଳି ହେବି ବୋଳି

ମଥାରେ ମୁଁ ନେବି ତୋଳି,

ଲୋଟିବି ଶ୍ରୀକୃଷ୍ଣ ବୋଲି ଧୂଳିଶେଯେ ଅଯତନେ ।

କାନ୍ଦେ ବହି ନାମଝୁଲି

ପଥେ ପଥେ ବୁଲି ବୁଲି,

କୃଷ୍ଣ ନାମ ସୁଧାପାନେ ମତାଇବି ସର୍ବଜନେ ।

Image

 

କବିତା (୧୩)

 

ନବ ନୀରଦ ଉଦୟେ କେକୀ କିନ ରସିବ

ନବ ମରୀଚିମାଳୀକୁ ଫୁଲ କିନ ଚାହିଁବ ?

ଆକାଶେ ଶୋଭିଲେ ଧନୁ ମେଘରେ

ନ ଚାହିଁବ କହ କେ ଅନୁରାଗରେ

ତେସନ ସୁନ୍ଦର ମନମୋହକର

ଶ୍ରୀପଦ-ସରୋଜେ ମନ-ଅଳି ନ ଚୁମ୍ୱିବ ?

କହନ୍ତୁ ଲୋ ଲୋକେ ଶ୍ୟାମ କପଟିଆ

କହନ୍ତୁ କାଳିଆ କୁଳ-କଳଙ୍କିଆ

ଗଳାରେମୋହର ଛୁରୀ ଦେଇ ଭରେ

ରହ ଆନ ଆନନ୍ଦରେ–

ମଥାମଣି ସମ ମଣିଛି ମିତଣୀ

କିସ ପର ବାଛନ୍ଦରେ ?

Image

 

କବିତା (୧୪)

 

ନଥାଆନ୍ତାରେ ଯଦି ଘନ ଅନ୍ଧକାର

କେ ବୁଝନ୍ତା ଦିନମଣି ସନମାନ,

ନଥାଆନ୍ତାରେ ଯଦି ନିଦାଘର ଖରା

ଧରା କି ରସନ୍ତା ବାରିଝରା ତାନ ?

ବିରହ-ଦହନେ ନତାତିଲେ ତନୁ

ମିଳନ ମାଧୁରୀ ପାସୋରନ୍ତା ମନୁ,

ବଜର ନ ଥିଲେ ବରଷନ୍ତା ଘନୁ

ସୁଧାରସଧାରା କେ କରନ୍ତା ପାନ ?

ନବହନ୍ତା ଯଦି ନିରାଶାର ଲୁହ

ନଫାଟନ୍ତା ଛାତି ନଉଠନ୍ତା କୋହ,

ନ ଥିଲେ ଟି ବିଷ କୁଳିଶ ବେଦନା

କୋମଳ ସାନ୍ତ୍ୱନା ଚାହାନ୍ତା କି ପ୍ରାଣ ?

ପାପୀର ଅନ୍ତରେ ପୁଣ୍ୟର ଅମୃତ

ନଥାନ୍ତାରେ ସତ୍ୟ ନଥିଲେ ଅନୃତ,

ନଥାନ୍ତାରେ ଧର୍ମ ନଥାନ୍ତାରେ କର୍ମ

ଭକ୍ତ ନଥିଲେ କି ଥାନ୍ତେ ଭଗବାନ ?

Image

 

କବିତା (୧୫)

 

ଏଣିକି କି ଭୟ ଜେଲ ନିର୍ବାସନେ

ଏଣିକି କି ଭୟ ମୃତ୍ୟୁ ଅନଶନେ ।

ସବୁ ସହିବ ରେ ଭାରତର ହାଡ଼

ନଭାଙ୍ଗେ ସହଜେ ଏ ଦୃଢ଼ ପାହାଡ଼ ।

 

ସେନାପତି ତବ କରେଣି ଆହ୍ୱାନ

ଆସ ଆଗ କିଏ ଦେବ ପ୍ରାଣଦାନ ।

ସେ ଏକ ସଙ୍ଗେ ହିନ୍ଦୁ ମୁସଲମାନ

ଶିଖ ପାର୍ଶୀ ବୌଦ୍ଧ ଇହୁଦୀ ଶ୍ରୀଷ୍ଟାନ ।

 

ବୀରଗର୍ବେ ନାଚିଉଠେ କା’ର ଛାତି

ଦେଖ ପ୍ରେମମଦେ କେ ଉଠିଛି ମାତି ।

ଅଛ କି, ବୀର ଭାରତ ସନ୍ତାନ

କାହା ପ୍ରାଣ ଜାଗେ ଦେଖାଉ ସମ୍ମାନ ।

ଆଇନ ଅମାନ୍ୟର ଜଳେ ଅଗ୍ନିକୁଣ୍ଡ

ମୁଣ୍ଡମାଳା ତବ ତହିଁ ହେବ ରୁଣ୍ଡ

ପୁରୋହିତ ନିଜେ ଗାନ୍ଧି ଯଜ୍ଞାସନେ

କେ ଦେବ ଆହୁତି ଆସେ ହେ ବହନେ ।

 

ଏବେ କି ଯନ୍ତ୍ରଣା ନ ସହୁଚ ଭାଇ

ଅନ୍ନ ବସ୍ତ୍ର ବେନି ନେଲା ଯେ ଛଡ଼ାଇ ।

ଦୁର୍ଭିକ୍ଷ ଦାରିଦ୍ର୍ୟ ବଢ଼ି ରୋଗ ଦାଉ

ଋଣ କରଭାର ସାରେ ତୁମ୍ଭ ଆୟୁ । (ଆହ୍ୱାନ)

Image

 

କବିତା (୧୬)

ଗୀୟର୍ସନଙ୍କ ପାଇଁ କବିତା

 

ଛନ୍ଦି ଚମ୍ପାଚୂତେ ମନ୍ଦାର ମଲ୍ଲିକା

କୁନ୍ଦ ଅରବିନ୍ଦ ଶିରୀ ସମ୍ପଦ

ମଞ୍ଜୁଫୁଲ ମାଳି, ପୂତ ଅର୍ଘ୍ୟଥାଳି

ଘେନି ଯେ ପୂଜିଲ ‘ଭାରତୀ’ ପଦ ।

କଳିଙ୍ଗ କାନନ ସମ୍ୱଳ ବିମଳ

ବିଲ୍ୱଦଳ ତହିଁ ଲଭିଲା ସ୍ଥାନ

ତା କି ଭୁଲିପାରେ ଗଜପତି-ଜାତି

କେଶରୀ ପୁରୁଷୋତ୍ତମ ସନ୍ତାନ ।

କୁଞ୍ଜ-କୃଷ୍ଣ-ଅଭିମନ୍ୟୁ-ଜଗନ୍ନାଥ

କବିସୂର୍ଯ୍ୟ ଜୟଦେବ ଜନନୀ

ସାରଳା ସେବିତ ମଧୁ ରାଧାନାଥ

ମେହେର କୀରତି ବରବରନୀ ।

ଚିଲିକାଚୁମ୍ୱିତ ନୀଳାଦ୍ରିମଣ୍ଡିତ

ବୈତରଣୀପୂତ ଉତ୍କଳଧାମ

ଭାରତୀ ମନ୍ଦିର ପୁରୋହିତେ ଆଜି

ଅରପେ ଶ୍ରଦ୍ଧାର ସୁମନ ଦାମ ।

ଥିବ ଯେତେ ଦିନ ଏ ଭାରତଭୂଇଁ

ନଉଃ ଛୁଇଁ ହିମ ଶିର ଶୋଭିବ

ମହାଜଳଧିର ଗଭୀର ଗର୍ଜନ

ଲହରୀ ନର୍ତ୍ତନ ଉଛୁଳୁଥିବ ।

ଜାହ୍ନବୀ ଯମୁନା କୃଷ୍ଣା ଗୋଦାବରୀ

ରେବା ମହାନଦୀ ଗାଇବେ ଗାନ

ବୀଣା ଏସରାଜେ ମୁରଲୀ ମୁରଜେ

ମିଶିବ ଖଞ୍ଜଣି ତରଳ ତାନ ।

ଦେବପୂଜା ଲାଗି ପଞ୍ଜବଟିବନେ

କଳିଙ୍ଗେ କାଶ୍ମୀରେ ଫୁଟିବ ଫୁଲ

ଗୁରୁ ଗ୍ରୀୟର୍ସନ ସେହି ଦିନ ସରି

ପୁଜିବୁଁ ଶ୍ରୀପଦ ସ୍ନେହେ ଅତୁଳ ।

ପୂରବ ପଶ୍ଚିମ ଅପୂର୍ବ ମିଳନ

ମଙ୍ଗଳ ଚୁମ୍ୱନ ଯଦି ସମ୍ଭବ

ହେବ କେବେ ଭବେ ତୁମରି ଗୌରବେ

ତୁମେ ପୁଣ୍ୟ ଶ୍ରମେ ମହାନୁଭବ ।

ଆମେରିକା ଚୀନ ୟୁରୋପ ଜାପାନ

ସନେ ଏକାସନେ ଏ ହିନ୍ଦୁସ୍ଥାନ

ଯେ ଦିନ ବସିବ ସ୍ମରିବ ସେ ତାର

ଭାଷାକୁ କଲା କେ ମହତ୍ତ୍ୱ ଦାନ ।

ସ୍ୱଭାବେ ସୁନ୍ଦର ଭାରତ ଆମର

ବିଚିତ୍ର ପ୍ରକୃତି ଚିତ୍ରଶାଳିକା

ତହୁଁ ଗୁରୁତର ତା ଭାଷାସମ୍ଭାର

ସଜାଡ଼ିଲା ତବ କର ତୁଳିକା ।

ହେ ଅମର ଶିଳ୍ପ ! ସଂକଳ୍ପିବି କିବା

ଅଳ୍ପ ତୁଚ୍ଛ ଦୂବପତ୍ର ଦିଓଟି

ଭଲ ଲାଗେ ପରା ସ୍ଥବିର ଶ୍ରୁତିରେ

ଗୁନୁଗୁନୁ ଭଲଭରା ଦରୋଟି ।

ଶୋଭୁ ପଛେ ହୀରାମଣି କୋହିନୂର

ମୋତି ପଦ୍ମକାନ୍ତ ପଦେ ଅତୁଳ

ଆପଣା ଗୁଣରେ ଘେନ ହେ ଚରଣେ

ଫୁଲରେଣୁ ଏ ତ ଅମୂଲମୂଲ ।

Image

 

କବିତା (୧୭)

ଓଁ

ବୀର ଶ୍ରୀ ଜୟ ମାଁ

ବୀର ଶ୍ରୀ ବୀରବର ବୀରାଗଗଣ୍ୟେ

ବୀର ଶ୍ରୀ କଳିଙ୍ଗ ଧନ୍ୟେ ।

ବୀର ଶ୍ରୀ ବୀରବର କୀର୍ତ୍ତି ବିଚିତ୍ରେ

ବୀର ଶ୍ରୀ ବୀରବର ଧାତ୍ରୀ ପବିତ୍ରେ ।

ଜୟ ମାଁ ବୀର ଶ୍ରୀ ବୀରବର ଜନନୀ

ଜୟ ମାଂ ବୀର ଶ୍ରୀ ବୀରବର ପାଳିନୀ ।

ଜୟ ମାଂ ବୀର ଶ୍ରୀ ବୀରବର ମୋହିନୀ

ଜୟ ମାଂ ବୀର ଶ୍ରୀ ଶାଳିନୀ ।

ବୀର ଶ୍ରୀ ଉତ୍କଳ ଅତୁଳ ଗୌରବ

କୋଣାର୍କ ଭୁବନେ ଭାସ୍କର ଗରିମା ।

ତବ ପୁଣ୍ୟ କରେ କଳିଙ୍ଗ ଅଙ୍ଗରେ

ଲେଖ ଜଗନ୍ନାଥ ଏ ବୀର ଜାତିର ବୀର ଶ୍ରୀ ମହିମା ।

ହେଉ ଆମେ ନିତ୍ୟ ବୀର ଶ୍ରୀ ମଣ୍ଡିତ

ବୀର ଶ୍ରୀ ସ୍ୱଦେଶ ନ ହେଉ ଖଣ୍ଡିତ ।

କଳିଙ୍ଗ କୁଳରେ ସରବେ ଗରବେ ହୁଅନ୍ତି ବୀର ଶ୍ରୀ

ହେଉ ପଛେ ମୂର୍ଖ ଭିକାରୀ ପଣ୍ଡିତ ।

ହେଉ ସେ ମଳିନ ମ୍ରିୟମାଣ କ୍ଷୀଣ

ବୀର ଶ୍ରୀ ହେଉ ତା ଜୀବନର ଚିହ୍ନ ।

ବୀର ଶ୍ରୀ ଜାତିର ବୀର ଶ୍ରୀ ଉଚ୍ଛିନ୍ନ

ନ ହେଉ କଦାପି ନ ହେଉ ବିଚ୍ଛିନ୍ନ ।

ଆମେ କଳିଙ୍ଗର ବୀର ଶ୍ରୀ ସନ୍ତାନ

ବୀର ଶ୍ରୀ ଆମର ଜାତୀୟ ସମ୍ମାନ ।

ବୀର ଶ୍ରୀ ଜଗତେ ଆମ ଜୟ ଧ୍ୱଜା

ଭାରତର ପ୍ରତି ପ୍ରାନ୍ତେ ପାଉ ପୂଜା ।

ଐର ଖାରବେଳ ଗଙ୍ଗା ଗଜପତି

ବୀର ଶ୍ରୀ ବୀରର ଜାତି ମହାମତି ।

ମହାଭାରତର ମହା ଉଦ୍‌ବୋଧନେ

ଗାନ୍ଧୀ ଜବାହର ସୁଭାଷ ସଦନେ ।

ବୀର ଶ୍ରୀ ଭୂଷିତ କର ଆଜ ଭାଇ

ସ୍ମରଦିବଂଗତେ ଅଶ୍ରୁ ବରଷାଇ ।

ମଧୁ, ଗୋପବନ୍ଧୁ, ଚିତ୍ତ, ଲାଜପତ

ମୋତି ଜ୍ୟୋତି, ଯତି ବୀରେନ୍ଦ୍ର ଭଗତ ।

ସ୍ୱର୍ଗୀୟା କମଳା ବୀରଶ୍ରୀ ଶାଳିନୀ

ଭାରତ ଦୁହିତା ବୀର ବିଳାସିନୀ ।

ବୀର ଶ୍ରୀ ଭାରତ ବୀର ହେ ଉତ୍କଳ

ଯଶୋଗାନେ ପୁରୁ ପୃଥିବୀ ମଣ୍ଡଳ ।

Image